Unknown

 

 

 

 

 

 

 

 

 

ବସନ୍ତ ଗାଥା

ମଧୁସୂଦନ ରାଓ

 

ଭୁମିକା

 

ଏହି ଚତୁର୍ଦ୍ଦଶ ପଦୀ କବିତା-ଗୁଡ଼ିକର ଅଧିକାଂଶ ବସନ୍ତକାଳରେ ରଚିତ ବୋଲି, ତାହା ‘‘ବସନ୍ତ-ଗାଥ” ନାମରେ ଆଖ୍ୟାତ ହେଲା । ସେଥିମଧ୍ୟରୁ ଅନେକଗୁଡ଼ିଏ ‘ଉତ୍କଳ-ସାହିତ୍ୟ' ପ୍ରଭୃତି ପତ୍ରିକାରେ ଇତିପୂର୍ବେ ପ୍ରକାଶିତ ହୋଇଥିଲା ।

 

କଟକ,

ପ୍ରଣେତା

୨୩ ଫାଲ୍ଗୁନ, ଶକାବ୍ଦ ୧୮୨୩

 

Image

 

ସୂଚୀପତ୍ର

 

୧.

ବାଣୀ

୨.

ସତ୍ୟ

୩.

ପାପୀର ତ୍ରାସ

୪.

କ୍ଷମା ସାଗର

୫.

ଅତୀତ

୬.

ହୃଦୟ ସଙ୍ଗୀତ

୭.

କୌଣସି ପରଲୋକ ବାସିନୀ ପ୍ରତି

୮.

ଯୌବନର ସ୍ଵପ୍ନ

୯.

ଦେବାତ୍ମା ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ

୧୦.

ବାମଣ୍ଡେଶ ରାଜା ଶ୍ରୀ ସୁଢ଼ଳଦେବ

୧୧.

ନବଜାତ ଶିଶୁ ଦର୍ଶନରେ

୧୨.

ନବବର୍ଷ

୧୩.

ଶ୍ରୀପଞ୍ଚମୀ

୧୪.

କୌଣସି ମାନନୀୟ ବନ୍ଧୁ ପ୍ରତି

୧୫.

କବି ଶ୍ରୀ ରାଧାନାଥ ରାୟ ବାହାଦୁର

୧୬.

କବି ଶ୍ରୀ ଫକୀର ମୋହନ ସେନାପତି

୧୭.

କର୍ମୀ ଶ୍ରୀ ଗୌରୀଶଙ୍କର ରାୟ

୧୮.

କାଳି ଦାସ

୧୯.

ବିଚ୍ଛେଦ

୨୦.

ଜରା ଆକ୍ରମଣ

୨୧.

ଶଙ୍ଖ ଧ୍ୱନି

୨୨.

ପତିତା ରମଣୀ

୨୩.

ଭବଭୂତି

୨୪.

ନରନାରୀ

୨୫.

ପରମ ପ୍ରମାଣ

୨୬.

ବସନ୍ତ ପୂର୍ଣ୍ଣିମା ଅର୍ଦ୍ଧରାତ୍ର

୨୭.

ଏକାମ୍ରକାନନ (ଭୁବନେଶ୍ୱର)

Image

 

ଉତ୍ସର୍ଗ

 

ବାମଣ୍ଡା-ଯୁବରାଜ,

ଶ୍ରୀଶ୍ରୀଶ୍ରୀ ସଚ୍ଚିଦାନନ୍ଦ ଦେବ ମହୋଦୟ

ଶ୍ରୀ କରକମଳେଷୁ ।

 

ଯୁବୋତ୍ତମ ଯୁବରାଜ ରାଜଶ୍ରୀ-ମଣ୍ଡିତ,

ରାଜଧର୍ମେବ୍ରତୀ,ରାଜ-ନୀତି-ସୁ ପଣ୍ଡିତ ।

ଦେବସୃହଣୀୟ ଶ୍ରେୟଃ-ପଥର ପଥିକ,

ସାହିତ୍ୟ-ନନ୍ଦନ-ବନ-ବିହାର-ରସିକ ।

ଅସ୍ତ୍ରବେଦ ବିଶାରଦ, ବିଜ୍ଞାନ-ବିଳାସୀ,

କ୍ଷତ୍ରତେଜେ ଶୂରବୀର, କଲ୍ୟାଣ-ପ୍ରୟାସୀ ।

ସତ୍‍, ଚିତ୍‍, ଆନନ୍ଦର ଅମୃତକ୍ରିତୟେ

ବରି, ବିଭୂଷିତ ପୂଣ୍ୟ-ସୌଜନ୍ୟ-ବିନୟେ ।

ଶ୍ରୀ ସଚ୍ଚିଦାନନ୍ଦ ଦେବ ସଦ୍ଗୁଣ-ଆକର,

ଉତ୍କଳ-ଉତ୍କର୍ଷ ହିତ-ସାଧନ-ତତ୍ପର ।

ଶ୍ରୀ କରକମଳେ, ଦେବ, ତବଗୁଣ ଗୁଣି

ସମର୍ପିଲି ଶ୍ରଦ୍ଧାଭରେ ତବପ୍ରମେ ଋଣୀ ।

ଏ ମୋର “ବସନ୍ତ-ଗାଥା’’,ଗ୍ରଥିତ ଆନନ୍ଦେ

ଦୀନ-ଜନ-ହୃଦୟର ଆଶା ପ୍ରୀତି-ଛନ୍ଦେ ।

ଶ୍ରୀ ମଧୁସୂଦନ ରାଓ

Image

 

ବାଣୀ

 

ହୃଦୟ-ଉଦୟାଚଳେ ଶୁଭ ଉଷା-ରାଣୀ,

ଜୟ ମା 'ଅମୃତମୟୀ’ ବାଗୀଶ୍ଵରୀ ବାଣୀ,

ନନ୍ଦନ-କମଳ-ବନେ ଉଭା ଶୋଭାମୟୀ,

ଲଲାଟେ ଚିନ୍ମୟ ଜ୍ୟୋତି-କିରୀଟ ରାଜଇ ।

ପ୍ରଭାତୀ ତାରାର ପ୍ରଭା ଖେଳଇ ନୟନେ,

ବିତରଇ ବରାଭୟ ଭୁବନେ ଭୁବନେ ।

ଅଧର-ପଲ୍ଲବୁଁ ଝରେ ପୀୟୂଷ ଲହରୀ,

କୋଟି ବ୍ରହ୍ମାଣ୍ଡର କ୍ଷୁଧା-ପିପାସା କୁ ହରି ।

ବିଶ୍ଵ-ବୀଣା ଶ୍ରୀହସ୍ତରେ ବାଜେ ସୁମଙ୍ଗଳେ,

କୋଟି ଦୃଦପଦ୍ମ ଫୁଟି ଉଠେ ପାଦତଳେ ।

ଅମୃତ ସଙ୍ଗୀତମୟୀ ବିଶ୍ୱବିମୋହିନୀ

ବ୍ରହ୍ମାଣ୍ଡର କାମଧେନୁ ବ୍ରହ୍ମାଣ୍ଡ-ତାରିଣୀ ।

ଜୟ ବିଶ୍ୱ ପ୍ରସବିନୀ, ବିଶ୍ଵ, ଆନନ୍ଦରେ

ଜୀବନ- କୁସୁମାଞ୍ଜଳି ଢାଳେ ଶ୍ରୀ ପୟରେ ।

Image

 

ସତ୍ୟ

 

ସେ ସତ୍ୟ, ହେ ଧ୍ରୁବତାର କୋଟି ଜଗତର,

ହେ ନିଖିଳ ମୂଳାଧାର, ଅସୀମ ସୁନ୍ଦର ।

ସେତୁରୂପେ ଧରିଅଛ ସର୍ବଚରାଚର,

ଅପାର ରହସ୍ୟମୟ, ଜୟ ବିଶ୍ୱମ୍ଭର ।

ଏ ନିସର୍ଗ ରଙ୍ଗ-ଭୂମି, ତୁମ୍ଭେ ମହାନଟ,

ସୃଷ୍ଟି- ସ୍ଥିତି-ଲୟଲୀଳା ତୁମ୍ଭେ ହିଁ ପ୍ରକଟ ।

ମହ ମହୀୟାନ ତୁମ୍ଭେ, ନିଜ ମହିମାରେ

ପ୍ରତିଷ୍ଠିତ, ବିରାଜିତ ନିଖିଳ ସଂସାରେ ।

ପ୍ରଶାନ୍ତ ପ୍ରସନ୍ନ ନେତ୍ରେ ରହିଛି ଅନାଇ,

ବରାଭୟ ଦେଉଅଛ ବ୍ରହ୍ମାଣ୍ଡର ସାଇଁ ।

ଅସତ୍ୟର ଅନ୍ଧକାର ନାଶି ବଜ୍ରାଲୋକେ,

ଜାଳୁଛ ସତ୍ୟର ଜ୍ୟୋତି ଦ୍ୟୁଲୋକେ ଭୂଲୋକେ ।

ବଜ୍ରନାଦେ ଭାଙ୍ଗି ମୋର ମୋହ-କୁସ୍ଵପନ,

ସତ୍ୟର ଗାମ୍ଭୀର୍ଯ୍ୟେ ପୂର୍ଣ୍ଣ କର ପ୍ରାଣମନ ।

Image

 

ପାପୀର ତ୍ରାସ

 

କାହିଁ ପଳାଇବି ? କାହିଁ ଲୁଚିବି ଗୋପନେ,

ଯେଣେ ତେଣେ ଗୃହେ ବନେ ସାଗରେ ଗଗନେ ।

ଦଶ ଦିଗେ ଦିବାଲୋକେ ନିଶା-ଅନ୍ଧକାରେ,

ସଜନେ ବିଜନେ ସ୍ଵପ୍ନେ ଜାଗର ବେଳାରେ ।

କି ଘୋର ବିରାଟ ଚକ୍ଷୁ ରହିଛି ଅନାଇ

ସଦା ମୋ ଆଡ଼କୁ ଘୋର ତ୍ରାସ ଉପୁଜାଇ ।

ଦୁର୍ଗର ଆୟସ ଦ୍ଵାର, ପାଷାଣ ପ୍ରାକାର,

ଗିରି-ଗୁହା, ଅନ୍ଧକୂପ ଅବ। କାରଗାର ।

ହେଳେ ଭେଦି ସେହି ଚକ୍ଷୁ ଚାହିଁଛି ତରାଟି;

ଥରଇ ସର୍ବାଙ୍ଗ ମୋର, ବକ୍ଷ ଯାଏ ଫାଟି ।

ସର୍ବ ଆବରଣ ଭେଦି, ମର୍ମ ଭେଦି ମୋର,

କର୍ମ-ଫଳ-ଦାତା ଧର୍ମ, କୁଳିଶ-କଠୋର ।

ପାଷଣ୍ଡ-ଦଳନ, ଦଣ୍ଡ-ଦାତା ପରାତ୍ପର,

ତୁମ୍ଭେ କିହେ ସେହି ଚକ୍ଷୁ ବିଶ୍ଵ-ଭୟଙ୍କର ?

Image

 

କ୍ଷମ। ସାଗର

 

ମହା ପାପଭାର ବହି ଗଭୀର ବିଷାଦେ,

ଆସିଲି ମୁଁ ପରମେଶ ପାଦ-ପଦ୍ମ-ପାଶେ ।

କହିଲି, ହେ ମହାପ୍ରଭୁ ଯେଉଁ ଅପରାଧେ

ମାଗି ଥିଲି କ୍ଷମା, ପୁଣି ପଡ଼ିଛି ତା ଗ୍ରାସେ ।

କହ କହ ପ୍ରଭୁ ସରି ନ ଥିବ କି ତବ

ପତିତ-ପାବନୀ କୃପା କ୍ଷମି ବାରମ୍ବ।ର ?

କେମନ୍ତେ ମାଗିବି ପୁଣି କ୍ଷମ। ଅଭିନବ ?

ବଳି ପଡ଼ିଛି ମୋ ପାପ ସୀମା କରୁଣାର ।

ମହା ଘୋଷେ ତହୁଁ ଜିଣି ମହାନ୍ ଅର୍ଣ୍ଣବ

ସ୍ଫୁରିଲା ପ୍ରଭୁଙ୍କ ବାଣୀ ମହା ମହୋତ୍ସବ;

“ମାନବର ମାନ ଦଣ୍ଡେ କଳିବୁକି ଜୀବ

ଚରମ ସୀମାନ୍ତ ମୋର ପ୍ରେମ କରୁଣାର ?

ନିଃଶଦ୍ଦେ ମୋ କ୍ଷମା-ସିନ୍ଧୁ ଜଳେ ବୁଡ଼ିଯିବ,

ଫିଙ୍ଗି ଦେରେ ମେରୁସମ ତୋର ପାପଭାର।”

Image

 

ଅତୀତ

 

ଚାଲୁ ଚାଲୁ ମହାଦୀର୍ଘ ଜୀବନର ପଥେ ।

କେତେ ଥର ରେ ପରାଣ ଅନାଉ ପଛକୁ ?

ଶୈଶବ ଯୌବନ ରାଜ୍ୟ ବୁଲୁ ମନୋରଥେ ।

ସ୍ୱପ୍ନ-ଯାତ୍ରୀ ପ୍ରାୟେ ସତ୍ୟ ମଣି ତୁ ମିଛକୁ ।

କାହାକୁ ଭିଡ଼ୁ ତୁ ହୃଦେ ସହସ୍ର ଶପଥେ ?

ପାଏ କି ସେ କେବେ ତୋର ଆକାଙ୍କ୍ଷା-କଛକୁ ?

ମଳିନ ଆବିଳ ସବୁ ଅତୀତ ଜଗତେ ।

କାହୁଁ ତୁ ପାଇବୁ ତହିଁ ଶାଶ୍ଵତ ସ୍ଵଛକୁ ?

ଏସନେ ଭାଳିଲି ଦିନେ ବସି ନିକାଞ୍ଚନେ;

ସହସା ପଶ୍ଚାତୁଁ କିଏ ଯେହ୍ନେ କେଶ ଟାଣି

କହିଲେ ପ୍ରଭାବେ ପରାଭବି ମୋ ଚିନ୍ତନେ,

“ସ୍ଵଚ୍ଛ ପ୍ରେମ ମନ୍ଦାକିନୀ ବହାଇଛି ଆଣି

ସଦା ତୋ ଜୀବନେ ଯେହ୍ନେ ସ୍ଵରଗ ଭୁବନେ;

ତୁ ତହିଁ କଳୁଷ ମିଶାଇଛୁ ଜାଣି ଜାଣି ।

Image

 

ହୃଦୟ ସଙ୍ଗୀତ

 

ଇନ୍ଦ୍ରିୟର କାରଗାରେ ରୁଦ୍ଧ ପ୍ରାଣ-ପକ୍ଷୀ

ଦିବାନିଶି ବ୍ୟାକୁଳିତ ଅସ୍ଥିର ବିକଳ ।

ନିଗୁଢ଼ ଆକାଙ୍କ୍ଷା ଆଶା କେଉଁଠାରେ ରଖି,

ବାଷ୍ପାକୁଳ ଗଦ ଗଦ ସ୍ଵରେ ଅବିରଳ

ତାହାର ସଙ୍ଗୀତ ଗାଏ ଚମକି ଚମକି ।

ସେ ସଙ୍ଗୀତ ସଙ୍ଗେ ଶତ ସ୍ଵପନ ଚପଳ

ମିଶାଉଛି କ୍ଷଣେ କ୍ଷଣେ କଳପନା ସଖୀ ।

ସ୍ମୃତି ସହଚରୀ କେତେ କେତେ ଅଶ୍ରୁ ଜଳ,

କେତେ ଚିନ୍ତା ସେ ସଙ୍ଗୀତେ କରଇ ମିଳିତ ।

ଅନନ୍ତ-ର ଅଭିମୁଖେ ସେ ସଙ୍ଗୀତ ନଦ

ବ୍ୟଗ୍ର ଧାଇବାରେ, କିନ୍ତୁ ଏକିରେ ବିପଦ

ପଦେ ପଦେ ତାର ପଥ ପାଷାଣେ-ପିହିତ,

ଭାଙ୍ଗି ସେ ପାଷାଣ, ଲଭି ପ୍ରେମ-ବିଷ୍ଣୁପଦ,

ଅନନ୍ତେ ମିଳିବ କିରେ ଅନନ୍ତ ସଙ୍ଗୀତ ?

Image

 

କୌଣସି ପର-ଲୋକ-ବାସିନୀ ପ୍ରତି

(୧)

ବାଲ୍ୟ ନେତ୍ରେ ହିରଣ୍ମୟୀ ଲାବଣ୍ୟ ପ୍ରତିମା,

ଥିଲ କ୍ରୀଡ଼ା-ସଖୀ, ଦେବି, ନବୀନ ଶୈଶବେ;

ତବ ନିଳୋଜ୍ଜ୍ୱଳ ନେତ୍ର, ମୂର୍ତ୍ତି-ମଧୁରିମା

ହେରି ମଗ୍ନ ଥିଲା ପ୍ରାଣ ପବିତ୍ର ଉତ୍ସବେ ।

ନୀଳାବ୍‍ଧି ନୀଳିମା- ନିନ୍ଦୀ ସେ ନେତ୍ର ନୀଳିମା,

ସେ ପବିତ୍ର ଅଙ୍ଗ-ଲକ୍ଷ୍ମୀ ଲାବଣ୍ୟ-ଅର୍ଣ୍ଣବେ,

ସହସା ଲଙ୍ଘିଣ ଦିନେ ଧରଣୀର ସୀମା

ବିରାଜିଲା ପରଲୋକେ ଅଦେହ-ଗୌରବେ ।

ସେ ଅଦେଶ ଦେଶେ, ଦେବି, ଚାଲି ଗଲ ଭାସି

ସମୀରେ ସୌରଭ କିମ୍ବା ଗୀତ-ତାନ ଯଥା ।

କାନ୍ଦିଲି ବିକଳେ, ଦେବି, ଢାଳି ଅଶ୍ରୁ ରାଶି

ବୁଝିଲକି, ଦୟାମୟି, ବ୍ୟଥିତର ବ୍ୟଥା ?

ତେଣୁ କି ସ୍ଵପନେ ଆସି ଦେଲ ଦରଶନ

ଢାଳିଲ ପାର୍ଥିବ ପ୍ରାଣେ ସ୍ଵର୍ଗୀୟ ବଚନ ।

Image

 

କୌଣସି ପର ଲୋକ ବାସିନୀ ପ୍ରତି

(୨)

ଆନନ-କମଳୁ ଝରି ବିମଳ ଆଲୋକ

କ୍ଷଣକେ ଖଣ୍ଡିଲା, ଦେବି, ଏ ହୃଦ-ଅନ୍ଧାର

ସେ ଶୋକ-ପାଶୋରାରୂପେ ପାଶୋରାଇ ଶୋକ

ଭାଷିଲ ଅମୃତ ଭାଷା ପରମ ଉଦାର ।

ଇଷ୍ଟ ମନ୍ତ୍ରରୂପେ ମୁହିଁ ସେ ପବିତ୍ର ଶୋକ

ଯାବତ ଜୀବନ ଜପୁ ଥିବି ଅନିବାର ।

ଏ ବାସନ।-ଦଗ୍ଧ ପ୍ରାଣେ ସେ ଶାନ୍ତି-ଉଦକ

ପୁଣ୍ୟ ମନ୍ଦାକିନୀ-ମୟ ମଣି-କର୍ଣ୍ଣିକାର ।

ମର୍ମ-ଭେଦୀ ସ୍ନିଗ୍ଧ ସେହି ଅପୂର୍ବ ଭର୍ତ୍ସନା ।

ଅଦ୍ୟାପି ଜାଗଇ ପ୍ରାଣେ ଅମୃତ ଝଙ୍କାରେ;

ପୁଣ୍ୟ ପ୍ରେମାମୃତ-ସିକ୍ତ ସେ ଦେବ-ରସନା,

କାହୁଁ ପଟାନ୍ତର ତାର ପାଇବି ସଂସାରେ ?

ସ୍ଵର୍ଗ-ଶୁଭ୍ର ସେ ଅଧରୁ ବରଷି ଅମୃତ

କହିଲ ବଚନ, ଦେବି, ସତ୍ୟ-ଶାନ୍ତି-ପୂତ ।

Image

 

କୌଣସି ପର-ଲୋକ-ବାସିନୀ ପ୍ରତି

(୩)

“ଥିଲି ଯେବେ ମର୍ତ୍ତ୍ୟ ଧାମେ, ବାସନା-ବିକାର

ନ ଥିଲା କି କଦାପି ହେ ହୃଦୟରେ ତବ ?

ଥାଏ ଯଦି ଏହିକ୍ଷଣି କର ପରିହାର;

ସ୍ଵର୍ଗରେ କେବଳ ଶୁଦ୍ଧ-ସତ୍ତ୍ଵ ପ୍ରମୋତ୍ସବ ।”

ଭାଷି ଏ ପବିତ୍ର ବାଣୀ, ଶାନ୍ତ ତିରସ୍କାର,

ଶୁଣାଇଲ ଦେବି ପ୍ରେମ-ତତ୍ତ୍ଵ ଅଭିନବ ।

ଲାଜ-ଭୟ-ଭକ୍ତି-ଭରେ ରୋମାଞ୍ଚ ସଞ୍ଚାର

ସମଗ୍ର ଶରୀର ମୋର କଲା ଅଭିଭବ ।

କି ଅମୃତ-ତତ୍ତ୍ଵ ଦୀକ୍ଷା ଅଶାନ୍ତ ଯୌବନେ

ଦେଲ, ଦେବୀ ପୁଣ୍ୟମୟି, ସ୍ଵର୍ଗୁ ଅବତରି ।

ସେ ଦିକ୍ଷା-ପ୍ରଭାବ ମୋର ସମଗ୍ର ଜୀବନେ

ମରମେ ମରମେ ଦେବି ଯାଉ ଗୋ ସଞ୍ଚରି ।

ପୋଡ଼ି ଯାଉ ଜଗତର ବାସନା ବିକାର ।

ଶୁଦ୍ଧ ପ୍ରେମ-ହେମ ବିଶ୍ଵେ ଜାଗୁ ଅନିବାର ।

Image

 

ଯୌବନର ସ୍ଵପ୍ନ

(୧)

ଜୀବନର ମଧୁମାସ ନବୀନ ଯୌବନେ,

ନବୀନହୃଦୟ ଯେବେ ଲୋଡ଼ଇ ବ୍ୟାକୁଳେ

ହୃଦୟର ଲକ୍ଷ୍ମୀ ମୂର୍ତ୍ତି ଆଶା ପ୍ରରୋଚନେ,

ଭ୍ରମି ଭ୍ରମି ପ୍ରେମୋନ୍ମାଦେ ଭବ-ଉପକୂଳେ

ମଧୁର-ଆକାଙ୍କ୍ଷା ଭରେ ଆକୁଳ ନୟନେ,

ପ୍ରଣୟ-ପ୍ରତୀକ୍ଷାପୂର୍ଣ୍ଣ ପରାଣ ମୋହର

କିଏକ ଅପୂର୍ବ ମୋହ-ମନ୍ତ୍ରର ଶାସନେ

ଧାଇଁଲା ଚୌଦିଗେ ଲୋଡ଼ି ସଖୀ ପରାଣର !

ହୃଦୟ-ସଙ୍ଗତେ ହୃଦ ମିଳାଇବା ଆଶେ

ଲୋଡ଼ିଲା ଏ ଦେହ ଯେହ୍ନେ ଦେହର ମିଳନ,

ବାଞ୍ଛିଲା ଏକଣ୍ଠ କାର ବାହୁଲତା ପାଶେ,

ନୟନ ବାଞ୍ଛିଲା ପୁଣି ନୟନେ ମଜ୍ଜନ ।

ଏମନ୍ତ ସମୟେ ଦିନେ ଦେଖିଲି ସ୍ଵପନ,

ଅପରୂପ ଅପୂରୁବ ଦୃଶ୍ୟ ବିମୋହନ ।

Image

 

ଯୌବନର ସ୍ଵପ୍ନ

(୨)

ଦେଖିଲି ମୁଁ ଅକାଶରେ ରାକା-ଶଶଧର

ବିମଳକୌମୁଦୀ ସୁଧା ଢାଳୁଛି ନୀରବେ,

ନିମ୍ନେ ବିସ୍ତାରିତ ମହା-ସୈକତ ପ୍ରାନ୍ତର,

ସ୍ନାତ ପୁଣ୍ୟଜୋସ୍ନା-ମୟ ନିଶୀଥ-ଅର୍ଣ୍ଣବେ ।

ଭ୍ରମୁ ଭ୍ରମୁ ସେ ପ୍ରାନ୍ତରେ ଦେଖିଲି ତଟିନୀ

ଲୀଳାମୟୀ ବହେ ଶୁଭ୍ର ସୈକତ-ଶୟନେ,

ତାରକା-ହୀରକ-ଚୂର୍ଣ୍ଣ-ଶେଜେ ମନ୍ଦାକିନୀ

ବିଳସଇ ଆହା ଯଥା ଶାରଦ-ଗଗନେ ।

ସେ ତଟିନୀତଟେ ବସି ଦେଖିଲି ନୟନେ

କୌମୁଦୀ କମଳବନେ ଉଭା ଶୋଭାରାଣୀ ।

ପାରିଜାତ-ବରମାଲ୍ୟ ଅମୃତ ଯୌବନେ

ଅର୍ପୁଛନ୍ତି ବିଶ୍ଵକଣ୍ଠେ ମହାପ୍ରେମେ ଆଣି ।

ବିଶ୍ଵ ବିମୋହିନୀଙ୍କର ସେ ବିଶ୍ଵ ମୋହନ

ଅମୃତ ଲାବଣ୍ୟନୀରେ ହେଲି ନିମଗନ ।

Image

 

ଯୌବନର ସ୍ଵପ୍ନ

(୩)

ସହସା ଦେଖିଲି ପୁଣି ଚମକି ପଲକେ

ଷୋଡ଼ଶୀ ସୁନ୍ଦରୀ-ମୂର୍ତ୍ତି ସମ୍ମୁଖେ ମୋହର ।

ଶୋଭିତ ଅନନ-ପଦ୍ମ ଲଳିତ ଅଳକେ,

ସର୍ବାଙ୍ଗେ ପଡ଼ିଛି ଶୁଭ୍ର ରଶ୍ମି ଶଶାଙ୍କର ।

ଅମଣ୍ଡନା, ଦୀନବସ୍ତ୍ରେ ମନୋଜ୍ଞ-ମଣ୍ଡନା

ଅର୍ଦ୍ଧମୁକୁଳିତ ନେତ୍ରୀ ଲଜ୍ଜା ମୂର୍ତ୍ତିମତୀ;

ନିଜ ପ୍ରାଣେ ଅନୁଭବି ମେ। ପ୍ରାଣ କାମନା ।

ସ୍ଵରଗରୁ ଆସିଛନ୍ତି ଯେହ୍ନେ ମୋର କତି ।

ଦୃଦୟର ଲକ୍ଷ୍ମୀ ମୋର ପ୍ରାଣ-ସୀମନ୍ତିନୀ,

ଚିହ୍ନିଲି ନିମେଷେ ସେହି ନୀରବଭାଷିଣୀ ।

ପ୍ରେମାବେଗେ ଧରି ମୁହିଁ ବାହୁର ବେଷ୍ଟନେ

କହିଲି, ପରାଣ-ସଖି ଏ ପ୍ରାଣ ତୁମ୍ଭର’ ।

ନୀରବେ ଅର୍ପିଲେ ବାଳା ଜୀବନ ଯୌବନେ

ହୃଦୟ-କୁଟୀର-ରାଣୀ ମୋ ପ୍ରାଣ ଦୋସର ।

Image

 

ଦେବାଣୂ ଶ୍ରୀ ପ୍ୟାରୀମୋହନ ଆଚାର୍ଯ୍ୟ

 

ସଂସାର ସାଗର ପାରେ ପୁଣ୍ୟାନନ୍ଦ ମୟ

ପରଲୋକ-ଆମେ ସଖା ଅଛ ଦେବଦଳେ ।

ଭୀମ ଭବ ସିନ୍ଧୁ-କୂଳେ ବ୍ୟାକୁଳ ଅଥୟ,

ଏକାକୀ ଭାସୁଛି ମୁହିଁ ଶୋକ-ଅଶ୍ରୁ ଜଳେ ।

ସେ ସିଂହ-ବିକ୍ରାନ୍ତ ତବ ପୁରୁଷ ହୃଦୟ

ଦିବାନିଶି ଦୀପ୍ତ ପୁଣ୍ୟ ଉତ୍ସାହ ଅନଳେ,

ଦୟା ସ୍ନେହେ ବିଗଳିତ ସେ ତବ ଆଶ୍ରୟ,

ସୁନ୍ଦର ମିଳନ ଆହା କଠୋରେ କୋମଳେ ।

ବ୍ରହ୍ମ ପାଦ-ପଦ୍ମ-ତଳେ ସେ ଅମୃତ ଧାମେ

ହୋଇଥିବ ତାହା ଆହା କି ରୁଚିରତର !

ଚିନ୍ମୟ ନୟନୁ ତବ ସେ ଚିନ୍ମୟ ଧାମେ

ଝରୁଥିବ ଆହା କିବା ପ୍ରେମର ନିର୍ଝର !

ବ୍ୟଥିତ ତୃଷିତ ମୁଁ ଏ ସଂସାର ସଂଗ୍ରାମେ,

ଦେବ କି ହେ ଦୀନେ, ସଖା, ବିନ୍ଦୁ ସେ ପ୍ରେମର ।

 

Image

 

ବାମଣ୍ଡେଶ ରାଜା ଶ୍ରୀ ସୁଢ଼ଳଦେବ

 

ଆନନ୍ଦେ ନନ୍ଦନେ ଯଥା ମନ୍ଦାକିନୀ ଜଳେ

ବିଶ୍ଵରମାଙ୍କର ଦିବ୍ୟ ମାଧୁରୀ ଦର୍ଶନେ,

ସନ୍ତତେ ବଜାଇ ବୀଣା ବାଣୀ କୁତୁହଳେ

ପୂରନ୍ତି ଅମୃତ ଗୀତେ ଅମର ଭବନେ;

ଚିତ୍ରୋତ୍ପଳା-ଚିତ୍ରବକ୍ଷେ ନିରେଖି ତେସନେ

ନିସର୍ଗଲକ୍ଷ୍ମୀର ଶୋଭା ଉତ୍କଳ ମଣ୍ଡଳେ

କବିମନଃ-ଶତଦଳ-ବାସିନୀ ତେସନେ

ଏତେକାଳେ ମହାଗୀତେ ମୋହିଲେ ସକଳେ ।

କନକ କିରୀଟ ଯଥା ଶୋଭେ ତବଶିରେ

ହେ ସୂଢ଼ଳ ଦେବ, ରାଜଲକ୍ଷ୍ମୀ-ପ୍ରସାଦରେ,

ତତୋଽଧିକ ଶୋଭେ ବାଣୀ-ବୀଣା ତବ କରେ,

ହେ ବୁଧେନ୍ଦ୍ର, ଲଭିଛ ଯା ସେବି ଭାରତୀରେ ।

ଧନ୍ୟ ରାଜକବି ବାସୁଦେବ ଦେବ-ମନା

ସୁରସଜ୍ଞ, ଧନ୍ୟ ତବ ଅମୃତ ରସନା ।

 

*

ରାଜା ଶ୍ରୀ ସରସୁଢ଼ଳଦେବ ମହୋଦୟଙ୍କର “ଚିତ୍ରୋତ୍ପଳା” କାବ୍ୟକୁ ଲକ୍ଷ୍ୟ କରି ଲିଖିତ ।

Image

 

ନବଜାତ ଶିଶୁ ଦର୍ଶନରେ

 

ନୁହଇ କି ଦେବ ଭୂମି ଏହି ନିକେତନ ?

ନୁହେକି ଏ ଦେବ ଶିଶୁ ଶୁଭ୍ର ସ୍ଵରଗର ?

ବାଞ୍ଛା-କଳ୍ପ-ତରୁମୟ ନନ୍ଦନ କାନନ

ଧରଇ କି ପାରିଜାତ ଏଥୁଁ ଶୁଭ୍ରତର ?

ଏକି ଦେବ-ଦୃଶ୍ୟ ଆଜି ଦେଖଇ ନୟନ ?

ନିଖିଳ ଜନନୀ ବିଜେ ବ୍ରହ୍ମାଣ୍ଡ-ଈଶ୍ଵର

ମୋ ନନ୍ଦନ ବୋଲି ଆହା ବତାଇ ଶ୍ରୀକର

ଧରିଛନ୍ତି ପ୍ରେମ- କ୍ରୋଡ଼େ ପ୍ରେମ ପ୍ରସ୍ରବଣ !

କି ଅମୃତ ଚୁମ୍ବନ ସେ, କି ପୁଣ୍ୟ ପରଶ,

କି ପବିତ୍ର ଆଶୀର୍ବାଦ, କହ ଆରେ ଶିଶୁ,

ଲଭି ଯାହା ତୁହି ଏଡ଼େ ମନୋହର ଦିଶୁ;

ବଚନ-ଅତୀତ ତାହା କି ଅମୃତ ରସ ?

ପୃଥିବୀର ନର ନାରୀ ! ପୁଣ୍ୟ ଆଦରଣ

ଶିକ୍ଷା କର ଶିଶୁରୂପ ସୁଖଦ ଆଶିଷୁଁ ।

Image

 

ନବ ବର୍ଷ

(୧)

ଏଇତ ମେଲାଣି ଘେନି କାଳ-ପର-ପାରେ

ଗଲା ପୁରାତନ ବର୍ଷ ଚିର ପରିଚିତ,

ଚିର ସଖା ସୁଖ-ଦୁଃଖ-ମୟ ଏ ସଂସାରେ,

ବିଷାଦ-ଭାବନା-ଘନେ ଆବରି ମୋ ଚିତ ।

ଏ ଜୀର୍ଣ୍ଣ ଜୀବନ ବହି ରୁଦ୍ଧ-ଦ୍ୱାର ଗେହେ

ଏକକୀ ରହିଛି ପଡ଼ି ନୈରାଶ୍ୟ-ଜଡ଼ିତ;

କିଏ ପୁଣି ରୁଦ୍ଧ ଦ୍ୱାରେ ଡାକୁଅଛି ସ୍ନେହେ,

ଗାଇ ଆଶା-ରାଗିଣୀର ଅଭୟ ସଂଗୀତ ?

ପଚାରିଲି “କିଏ ତୁମ୍ଭେ ନୂତନ ଅତିଥି,

କାହିଁକି ଡାକୁଛ ମୋତେ ହେ ଅପରିଚିତ” ?

ଶୁଣିଲି ଉତ୍ତର, “ବିଶ୍ଵ, ମଙ୍ଗଳର ଗୀତି

ଶୁଣାଇବା ପାଇଁ ନବ ବର୍ଷ ମୁଁ ପ୍ରେରିତ ।

ବରଜି ନିରାଶା ମନୁ ଶୁଣ ହେ ସମ୍ୱାଦ,

ଆନନ୍ଦ ମୟଙ୍କ ଆଶାମୟ ଆଶୀର୍ବାଦ ।’’

Image

 

ନବ ବର୍ଷ

(୨)

“ହେ ମର୍ତ୍ତ୍ୟ ପ୍ରବାସୀ ନର, ଅମୃତ-ପ୍ରୟାସୀ

ଅମୃତ ସନ୍ତାନ ତୁମ୍ଭେ ସ୍ଵରଗର ଯାତ୍ରୀ ।

ହୁଅ ହେ ଅନନ୍ତ-ଭକ୍ତ, ଅନନ୍ତ-ବିଶ୍ଵାସୀ,

ଦେଖ ପଳାଉଛି ଭୟେ ଘୋର କାଳ ରାତ୍ରି ।

ସତ୍ୟ ଶିବ ସୁନ୍ଦରର ଧ୍ରୁବ ଶୁଭ୍ରାଲୋକ

ଲୋକେ ଲୋକେ ପ୍ରାଣେ ପ୍ରାଣେ ନିତ୍ୟ ବିରାଜିତ,

ବିନାଶି ନିରାଶା ଦୁଃଖ ପାପ ତାପ ଶୋକ,

ମଙ୍ଗଳ-ଆଶ୍ଵାସେ ବିଶ୍ଵ କରଇ ପ୍ଲାବିତ ।

ସେ ଆଲୋକ-ସିନ୍ଧୁ ଜଳେ ପ୍ରେମେ ଅବଗାହି,

ସେ ଆଶ୍ଵାସ-ସୁଧା ପାନେ ହୋଇ ବଳୀୟାନ,

ବିଧାତାର ଇଚ୍ଛା-ସ୍ରୋତେ ଦିଅ ହେ ଭସାଇ

ପ୍ରେମ-ଭକ୍ତି-ବିଶ୍ଵାସରେ ପରିପୂର୍ଣ୍ଣ ପ୍ରାଣ ।

ଜଗତର ସେବା-ବ୍ରତେ ବିସର୍ଜି ଜୀବନ,

ଧନ୍ୟ ହୁଏ, ବିଧିର ଏ ଆଶିଷ ବଚନ ।’’

Image

 

ଶ୍ରୀପଞ୍ଚମୀ

(୧)

ମଧୁ-ଜନ୍ମ-ତିଥି ମଧୁମୟୀ ଶ୍ରୀପଞ୍ଚମୀ,

ଯାର ଆଗମନେ ଜାଗେ ଧରଣୀ ଉଲ୍ଲାସେ.

ଶତ ପୁଷ୍ପ ବିକଶଇ ବିଶ୍ୱପ୍ରାଣ ରମି,

ବହଇ ମଳୟ, ଗାଏ କୋକିଳ ଉଚ୍ଛ୍ୱାସେ ।

ଆସିଛି କି ସେ ଦିବସ ମହୋତ୍ସବ ମୟ

ଭାରତ-ଜନନୀ ମହାଦେବୀ ଭାରତୀର,

ଯାର ନାମେ ପୁଲକିତ ହୁଅଇ ହୃଦୟ

ସୁରି ବେଦ-ଗାନ-ପୂତ ସରସ୍ଵତୀ ତୀର ?

ଯାର ନାମେ ପଡ଼େ ମନେ ସେ ରୋମାଞ୍ଚ-କର

ବିଧୁରା ନ୍ତ୍ରୋଞ୍ଚିର ଶୋକ, ତମସ। ତଟରେ

ଶ୍ଳୋକରୂପେ ପରିଣତ କରୁଣା ସାଗର-

କବି-କୁଳ-ଗୁରୁ ମୁନି ବାଲ୍ମୀକି-ଅନ୍ତରେ ?

ଯାର ନାମେ ଉଦ୍ଧୋଧୀତ ହୁଅଇ ପରାଣେ

ଶତ ଶତ ପୂର୍ବ ସ୍ମୁତି ଅପୂର୍ବ ବିଧାନେ ?

Image

 

ଶ୍ରୀପଞ୍ଚମୀ

(୨)

ଆସିଛି ଯଦି ସେ ଦିନ ତୋ ପୂଜାରେ ପୂତ,

ଆସ ମା ଭାରତି, ବୀଣା-ପାଣି ଭୂ ଭାରତେ ।

ସେ ବୀଣା-ଝଙ୍କାରେ ଜାଗୁ ଭାରତର ସୁତ,

ଦୀକ୍ଷିତ କର ମା ତାକୁ ମହା-ସତ୍ୟ-ବ୍ରତେ ।

ଜାଗୁ ମହାବୀର ତୋର ଗମ୍ଭୀର ଆହ୍ଵାନେ,

ମହା ପୁରୁଷର ମହାଜୟ-ଶଙ୍ଖ-ନାଦ

ବାଜୁ ମା ଗମ୍ଭୀରେ ପୁଣି ଭାରତ ବିମାନେ,

ଅପସରୁ ଭାରତର ସକଳ ପ୍ରମାଦ ।

ସ୍ଵର୍ଗୀୟ ଜୀବନ ସ୍ରୋତ ବହୁ ଏ ଭାରତେ,

ପୁଣ୍ୟ ଅଭିଷେକ-ଧାରା ପଡ଼ୁ ତା ଲଲାଟେ ।

ଉଭା ହେଉ ସେ ପୁଲକେ ବିପୁଳ ଜଗତେ,

ଶୁଣି ତବ ଅଭିନବ ମହା ବେଦ-ପାଠେ ।

ଦେଖାଅ ମା ନବ ବୀର ନବ ଋଷି କବି,

ଦିବ୍ୟ ତେଜୋମୟ ନବ ନର-ନାରୀ-ଛବି ।

Image

 

କୌଣସି ମାନନୀୟ ବନ୍ଧୁ ପ୍ରତି

 

ବହୁଦିନ କଥା, ଆର୍ଯ୍ୟ, ପଡ଼ଇ କି ମନେ,

ଉପହାର-ରୂପେ ଯେବେ ଏହି ଅଭାଜନେ,

ସରୋବରୁ ପଦ୍ମ ନିତି ତୋଳାଇ ଯତନେ,

ଦେଉଥିଲ ସ୍ନେହଭରେ ସ୍ନେହ ସମ୍ଭାଷଣେ ?

ସେହିତବ ପୁଣ୍ୟ-ସ୍ନେହ, ପୁଣ୍ୟ ଉପାୟନେ

ସୁମରି ଭକତି ଭରେ ସଜଳ ନୟନେ,

ନୀରବେ ନମଇ ଦୀନ ଆଜି ଶ୍ରୀ ଚରଣେ,

ବିଚ୍ଛେଦ-କାତର-ତପ୍ତ ନିରାଶ ଜୀବନେ ।

ଏକାନ୍ତେ ଚରଣ-ତଳେ ସୁଖେ ବସିବାର

କାହିଁ ଗଲା ମୋର ସେହି ପୁଣ୍ୟ-ଅଧିକାର ?

ନାଶିଛି ସେ ସୁଖ ମୋର ନିଷ୍ଠୁର ସଂସାର,

କିନ୍ତୁ ସେହି ସୁଖ-ସ୍ମୃତି ନୁହେ ଭୁଲିବାର;

ସେ ସ୍ମୃତି ନିଭୃତ ପ୍ରାଣେ ଜପି ଅନିବାର

ଆମରଣ ଭୁଞ୍ଜୁଥିବି ଆନନ୍ଦ ଅପାର ।

Image

 

କବି ଶ୍ରୀ ରାଧାନାଥ ରାୟ ବାହାଦୁର

 

ନବଯୁଗେ ବରପୁତ୍ର ନବ ଉତ୍କଳର !

ବରଦା ବାଗ୍ଦେବୀ-ବରେ ସୁକବି-ପ୍ରବର !

ଉତ୍କଳ ନିସର୍ଗ-ଲକ୍ଷ୍ମୀ-ଦେବୀ ପୁରୋହିତ !

ଲଲିତ-କବିତା-ଶିଳ୍ପୀ ରସଜ୍ଞପଣ୍ଡିତ !

ଉତ୍କଳର ନଦନଦୀ-ହ୍ରଦ-ପ୍ରସ୍ରବଣ,

ପର୍ବତ-ପ୍ରପାତ-ଶୈଳ-କନ୍ଦର-କାନନ

ଧର୍ମ କ୍ଷେତ୍ର ଉତ୍କଳର ମନ୍ଦିର ନିଚୟ

ବୌଦ୍ଧକୀର୍ତ୍ତି, ଶିବବିଷ୍ଣୁ ଅର୍କ ଦେବାଳୟ,

ଗରିମା ମହିମା ସର୍ବ ଉତ୍କଳ ଧାମର,

ନବ ବର୍ଣ୍ଣେ ବର୍ଣ୍ଣିଅଛ, କବି-ଚିତ୍ରକର ।

ଉତ୍କଳର ଅଭିନବ ସାହିତ୍ୟ-ସଂସାରେ

ପୂର୍ଣ୍ଣ କରିଅଛ କେତେ ରତ୍ନ-ଅଳଙ୍କାରେ ।

କାହିଁକି ବିଳମ୍ବ ଆଉ, ସମାପ ସତ୍ୱର

ମହାଯାତ୍ରା-ମହାଗୀତ ଆହେ କବିବର ।

Image

 

କବି ଶ୍ରୀ ଫକୀର ମୋହନ ସେନାପତି

 

ଜନ୍ମଭୂମି ଉତ୍କଳର ପରମ ଭକତ !

ସୁକ୍ଷଣେ ଜନମ ତବ ଆହେ ପୁଣ୍ୟବ୍ରତ !

ଆଦି କବି ବାଲ୍ମୀକି କବି-କୁଳଧନ,

କବିଗୁରୁ ସତ୍ୟବତୀ-ସୁତ ଦ୍ୱୈପାୟନ,

ଉଭୟେ ବିମଳ ତବ ଭକ୍ତି-ଦରଶନେ,

ଦେଇଛନ୍ତି ମହାଦରେ ସୁପ୍ରସନ୍ନ ମନେ

ନିଜନିଜ ବିଶ୍ଵଜିଣା ବୀଣା ତବ କରେ ।

ସେ ବୀଣା ବଜାଇ ଗାଉଅଛ ଆନନ୍ଦରେ

ପୁଣ୍ୟ ରାମାୟଣ ମହାଭାରତର କଥା,

ଗମ୍ଭୀର ମଧୁର କେତେ ଅମୃତ ବାରତା ।

ସରଳ ତରଳ ତବ ସଂଗୀତ-ତରଙ୍ଗେ,

ହରଷେ ଭସାଅ କବି ନାନା ରସ ରଙ୍ଗେ

ଉତ୍କଳ-ଧରଣୀ-ଜନ-ହୃଦୟ ତରଣୀ ।

ଧନ୍ୟ ହେଉ ବିଭୁ-ବରେ ତବ ସୁଲେଖନୀ ।

Image

 

କର୍ମୀ ଶ୍ରୀ ଗୌରୀଶଙ୍କର ରାୟ *

 

ଶୁଭକ୍ଷଣେ ଜନ୍ମତବ ଉତ୍କଳ-ଉତ୍ସଙ୍ଗେ,

କର୍ମ-ଯୁଗେ କର୍ମ ଯୋଗୀ, କେତେ ବିଘ୍ନ ସଙ୍ଗେ

ଯୁଝି ନିତ୍ୟ ସୁସାହସେ ବିଶ୍ଵାସେ ବିକ୍ରମେ,

ସାଧିଅଛ ସୁସଂକଳ୍ପ ପୁଣ୍ୟ ପରିଶ୍ରମେ ।

ଜଣ କେତେ ସଦୃଦୟ, ସମର୍ଥ, ସହାୟ,

ସତ୍ୟକାମ ସଖା, ଜିଣିବାରେ ଅନ୍ତରାୟ,

ଲଭିଥିଲେ ପୁଣ୍ୟ-ବଳେ ପରମ ସୁକ୍ଷଣେ

ତୁମ୍ଭପରି ଧୁରନ୍ଧର ବାନ୍ଧବ-ରତନେ ।

ଶ୍ରୀ ବିଚିତ୍ରାନନ୍ଦ ପୁଣି ଶ୍ରୀ ଜଗମୋହନ

ନାମ ସଙ୍ଗେ ତବ ନାମ ଯୁକ୍ତ ହେ ସୁଜନ

ମଣି-କାଞ୍ଚନର ଯୋଗେ ରହିବ ଉତ୍କଳେ,

ଯଶର ମନ୍ଦିର ମଧ୍ୟେ ପୁଣ୍ୟ ଭାଗ୍ୟବଳେ ।

ନବ-ଯୁଗ-ଉଷା-ପ୍ରଭା “ଦୀପିକ।” ପ୍ରକାଶି,

ଧନ୍ୟ ତୁମ୍ଭେ ଏ ଉତ୍କଳେ, ସୁକୃତ-ବିଳାସୀ ।

 

* ଶ୍ରୀ ବିଚିତ୍ରାନନ୍ଦ ଦାସ ଓ ଶ୍ରୀ ଜଗମୋହନ ରାୟ କଟକ ପ୍ରିଣ୍ଟ କମ୍ପାନୀର ପ୍ରବର୍ତ୍ତକ ।

Image

 

କାଳି ଦାସ

 

ଭାବମୟୀ ଭାରତୀୟର ଅମର ନନ୍ଦନ !

କଳ୍ପନା-ନନ୍ଦନ-ବନ-ବିହାର ରସିକ !

ହେ କବୀନ୍ଦ୍ର କାଳି ଦାସ କବି-କୁଳ-ଧନ !

ବିଶ୍ଵ-ଶୋଭାରାଣୀଙ୍କର ପରମ ପ୍ରେମିକ ।

କ୍ଷୁଦ୍ର ଭାରତର କ୍ଷୁଦ୍ରତର ଉଜ୍ଜୟିନୀ

ନରନାରୀ ରାଜ-ସଭା-କବି ଥିଲ କେବେ,

ନିଖିଳ ମାନସ-ସଭା ମାନସ ରଞ୍ଜିନୀ,

ସେ ରାଜ ସଭାର ରାଜ-କବି ତୁମ୍ଭେ ଏବେ ।

ଆହା କି ଅମୃତ ସୃଷ୍ଟି କି ମହା ଉତ୍ସବ,

ନିତ୍ୟ ନବ ସଙ୍ଗୀତର ଅପୂର୍ବ କୌଶଳ,

ମେଘଦୂତ, ରଘୁବଂଶ, କୁମାରସମ୍ଭବ

ବିକ୍ରମ-ଉର୍ବଶୀ, ଅଭିଜ୍ଞାନ ଶକୁନ୍ତଳ ।

ଧନ୍ୟ ଧନ୍ୟ ମହା କବି, ମହା ଚିତ୍ରକର,

ପ୍ରକୃତିର କୃତି ପୁତ୍ର, ଅଜର ଅମର ।

Image

 

ବିଚ୍ଛେଦେ *

 

ହଜି ନାହିଁ ଯାର କେବେ କିଛିହିଁ ରତନ,

ଏ ମର୍ତ୍ତ୍ୟ ସଂସାରେ ସେହି ଦୀନ ଅକିଞ୍ଚନ ।

ସେ ପୁଣି ଦରିଦ୍ରତର ହରାଇ ରତନ,

ଏ ଭବ ଭବନେ ତାହା ପାଶୋରେ ଯେ ଜନ ।

ସେ ପୁଣି ଦ୍ରରିଦ୍ରତମ କୃପା-ପାତ୍ର ଅତି

ହରାଇ ପାଶୋରିବାକୁ ବଳେ ଯାର ମତି ।

ଶୋକର ଅସୀମ ମସୀମୟ ଅନ୍ଧକାରେ

ପ୍ରେମର ପ୍ରଦୀପ ଜାଳି ମର୍ମ ବେଦନାରେ,

ଯେ ଜନ ଜପଇ ଶିବ-ରାତ୍ରି ଜାଗରଣେ

ଅଶ୍ରୁ-ପୂତ ପ୍ରେମ-ମନ୍ତ୍ରେ ହୃଦୟ ରତନେ,

ସେହି ଏକା ଏ ଜଗତେ ମହାଧନେ ଧନୀ

ଅକ୍ଷୟ ଭଣ୍ଡାର ତାର ଦିବସ ରଜନୀ ।

ପ୍ରଭୁ ହେ ଶାଶ୍ଵତ ତବ ଶ୍ରୀ କୋଠ ଭଣ୍ଡାରେ

ରଖ ବନ୍ଧୁ-ହୃଦ-ନିଧି ଲକ୍ଷ୍ମୀ-ପ୍ରତିମାରେ ।

 

* ଜଣେ ବନ୍ଧୁଙ୍କର ପତ୍ନୀ-ବିୟୋଗ-ଶୋକକୁ ଲକ୍ଷ୍ୟ କରି ଲିଖିତ ।

Image

 

ଜରା-ଆକ୍ରମଣ

(୧)

ଶକ୍ତି ହରା ଜରା ଛୁଇଁଲାଣି ଦେହ ପୁର

ଅଲକ୍ଷିତେ ବଳ ମୋର କରୁଅଛି ଜୁର ।

ଯୌବନ-ପ୍ରାସାଦ-ଭିତ୍ତି ଅଳ୍ପ ଆଘାତରେ

ଭାଙ୍ଗି ପଡ଼ୁଅଛି ନିତି କମ୍ପି ଥର ଥରେ ।

ଲଭି ଯାଉଅଛି କ୍ରମେ ଦୀପ୍ତି ନୟନର

ସାମର୍ଥ୍ୟ ଯାଉଛି ତୁଟି ଏ ମୋ ଚରଣର ।

ମସ୍ତକର କେଶ ଏବେ ହେଲାଣି ପଳିତ

ଦୁର୍ବଳ କଣ୍ଠର ସ୍ଵର, ସବୁ ବିକଳିତ ।

ଅପ୍ରସନ୍ନା ଏବେ ନିଦ୍ରା ଦେବୀ ଶ୍ରାନ୍ତି ହରା,

ବେଗେ ମାଡ଼ି ଅସୁଅଛି ନିଶାଚରୀ ଜରା ।

ଏହି ଭଗ୍ନ ଦେହ ଘରେ ରହିଅଛି ପଡ଼ି

ଆସୁଛି ମରଣ ମତେ ତହୁଁ ଦେବ ତଡ଼ି ।

ବାଧୁଅଛି ବାସନାକୁ ଯୌବନ ବିରହ,

ବିକଳେ କାନ୍ଦୁଛି ସେହି ତେଣୁ ଅହରହ ।

Image

 

ଜରା-ଆକ୍ରମଣ

(୨)

ଜରା ଆକ୍ରମଣେ ତେବେ ହେବି କି ନିରାଶ

ଢାଳିବି କି ଆର୍ତ୍ତନାଦେ ବିଷାଦର ଶ୍ୱାସ ?

ନିରାଶାର କଥା ଛିଛି କହିବି କେମନ୍ତେ

ଅନ୍ତରରେ ଅନୁଭବି ଅନନ୍ତ ବସନ୍ତେ ?

ଜୀବନ ବିଧତା ପ୍ରଭୋ କରୁଣା ସାଗର,

ଅନନ୍ତ ବସନ୍ତ ତୁମ୍ଭେ ଏ ମୋ ଜୀବନର ।

ଗର୍ଜି ତର୍ଜି ଆସୁ ଜରା ଘୋରା ବ୍ୟାଘ୍ରୀ ପରି

ତା କ୍ରୁର ନଖରାଘାତେ ଯାଉ ଦେହ ଜରି ।

ବିକଟ ଭ୍ରୂକୁଟି କରି ଆସୁ ଆଧି ବ୍ୟାଧି,

ଯେତେ ସାଧିବାର ସେତେ, ଯାଉ ଦାଉ ସାଧି ।

ଅନନ୍ତ ଅଭୟ ପ୍ରଭୋ ଦେଇଛ ଅନ୍ତରେ

ଅନନ୍ତ ଜୀବନ ଧାରା ଢାଳି ମହାଦରେ ।

ଅମୃତ ଉତ୍ସାହ, ତେଣୁ, ଆନନ୍ଦ ଅମୃତ

ଝର ନୀର ପ୍ରାୟେ ପ୍ରାଣୁ ହେଉଛି ନିଃସୃତ ।

Image

 

ଶଙ୍ଖ ଧ୍ୱନି

(୧)

ପଶ୍ଚିମର ଚକ୍ରବାଳେ ବୁଡ଼ଇ ଭାଷ୍କର,

ପ୍ରଶାନ୍ତ ଦିନାନ୍ତ ଛାୟା ଆବରେ ଅମ୍ବର ।

ନିଃଶବ୍ଦେ ଗମ୍ଭୀରେ ଧୀରେ ସନ୍ଧ୍ୟା ଶାନ୍ତିମୟୀ

ଶ୍ରାନ୍ତ ମହୀ ଶିରେ ଶାନ୍ତି-ବାରି ବରଷଇ ।

ଦିବା-ଅବସାନେ ଶ୍ରାନ୍ତ ମୁହିଁ ପାନ୍ଥ-ଜନ

ଗୃହ ଧ୍ୟାନେ ଚାଲୁ ଅଛି ଚଞ୍ଚଳ ଚରଣ

ସହସା ସୁଦୂର ଗ୍ରାମେ ବାଜେ ଶଙ୍ଖ ଧ୍ୱନି

ସ୍ତମ୍ଭିତ ସେ ନାଦେ ଯେହ୍ନେ ନିଖିଳ ଅବନୀ ।

କ୍ଷଣେ କର୍ଣ୍ଣ ଡେରି ଆହା ସେ ସ୍ଵର ଲହରୀ

ଶୁଣିଲି ମୁଁ ଆଚମ୍ବିତେ ସ୍ଵପ୍ନାବିଷ୍ଟ ପରି ।

ତହୁଁ ମହା ଜାଗରଣେ ଜାଗିଲା ମୋ ପ୍ରାଣ

ଶୁଣିଲି ସେ ଧ୍ୱନି-ମଧ୍ୟେ ମହା ସିନ୍ଧୁ ତାନ ।

ଅନନ୍ତ ଅର୍ଣ୍ଣବ ଧ୍ୱନି ମହା ମହୋଦାର

ଅର୍ଣ୍ଣିବ-ସମ୍ଭବ ଶଙ୍ଖେ କରୁଛି ବିହାର ।

Image

 

ଶଙ୍ଖ ଧ୍ୱନି

(୨)

ମହା ଅର୍ଣ୍ଣବର ମହା ପ୍ରଣବ-ଝଙ୍କାର

ମନ୍ଦ୍ରନାଦେ ଶଙ୍ଖ ଆହା ଘୋଷେ ଅନିବାର ।

“ଅନନ୍ତ ଅପାର ସିନ୍ଧୁ ମୋର ମହାଳୟ,

ମୋ ଅନ୍ତର ଅନନ୍ତ-ର ନାଦେ ନାଦମୟ,

ସେ ଅମୃତ ଆଳୟରୁ ହୋଇ ଅନ୍ତରିତ

ଭୁଲିବି କି ମୋହେ ତାର ଅମୃତ ସଂଗୀତ ?

କ୍ଷୁଦ୍ରାଦପି କ୍ଷୁଦ୍ରତର ମର୍ତ୍ତ୍ୟ ଗୃହ ପାଇଁ

ଅବିଦ୍ୟା-ପ୍ରମାଦେ, ପାନ୍ଥ, ହେଲ କି ହେ ବାଇ ?

କେମନ୍ତେ ହେ ପାଶୋରିଲ ଜନ୍ମ-ଭୂମି-କଥା

କାହିଁ ତୁମ୍ଭ ରସନାରେ ଅମୃତ ବାରତା ?

ଆସ ଆସ ସୁଗମ୍ଭୀର ମହାବେଦ-ତାନେ

ଜଗତେ ଜଗାଅ ସର୍ବ ଅନନ୍ତ ସନ୍ତାନେ ।

ଅନନ୍ତେ ଜୀବନ-ସ୍ଫୁର୍ତ୍ତି, ଅନନ୍ତେ ଅଭୟ,

ମର୍ତ୍ତ୍ୟ-ପ୍ରବାସରେ ଗାଅ ଅମୃତର ଜୟ ।

Image

 

ପତିତା ରମଣୀ

(୧)

ନାରୀକୁଳ-କଳଙ୍କିନୀ ପତିତା ରମଣୀ,

ଦୁଃଖିନୀ ତୋପରି ଆହା କେ ଅଛି ସଂସାରରେ ?

କୁକ୍ଷଣେ ହରାଇ ଆହା ପୁଣ୍ୟ-ପ୍ରେମ-ମଣି,

ବସିଛୁ ପଣ୍ୟସ୍ତ୍ରୀରୂପେ ପାପର ବଜାରେ ।

ପାପର କୁଟିଳ ଚତ୍ରେ ପଡ଼ି ତୁ ଅବଳା

ପାପର କଙ୍କରୀରୂପେ ଖଟୁଛୁ ନରକେ ।

ନିଜ ହସ୍ତେ ଅନୁଦିନ କାଟି ନିଜ ଗଳା,

ଭୋଗୁଛୁ ଯାତନା ଘୋର ପଲକେ ପଲକେ ।

ତୋର ସେ କୁଟିଳ ହାସ୍ୟ, ସେ ମାୟା ବିଭ୍ରମ

ତୋ ମର୍ମର କି ମୁର୍ମୁର ଦାହ ପ୍ରକାଶଇ !

ତ୍ରିତାପ ଜ୍ଵାଳାର ସେହି ସନ୍ତାପ ବିଷମ

କାଳ ସର୍ପ ପ୍ରାୟେ ତୋର ଜୀବନ ଗ୍ରାସଇ ।

ଦେବୀ ହୋଇ କେମନ୍ତେ ତୁ ହୋଇଲୁ ରାକ୍ଷସୀ

ଘୋଟିଲା ତୋ ଶୁଭ୍ରପ୍ରାଣେ ଘୋର ପାପ ମସୀ ।

Image

 

ପତିତା ରମଣୀ

(୨)

କେ ଚାହିଁବ ଚାହୁଁ ତୋତେ ଗର୍ବ ଅବଜ୍ଞାରେ,

କିନ୍ତୁ ଲୋ ଭଗିନି ମୁହିଁ ତୋ ଦୁଃଖେ କାତର ।

ଆହତ ମୋ ପ୍ରାଣ ତୋର ମର୍ମ-ହାହାକାରେ,

କାନ୍ଦଇ ବିକଳେ ମୋର ବ୍ୟଥିତ ଅନ୍ତର ।

ବିଷାଦେ ସୁମରି ତୋତେ, ଚାହିଁଲି ବିକଳେ

ପତିତ ପାବନୀ ବିଶ୍ଵ-ଜନନୀ ଚରଣେ ।

ଆଶାର ଅମୃତ ଜ୍ୟୋତି ସେ ପଦ କମଳେ

ଦେଖିଲି, ଅଭୟ ବାଣୀ ଶୁଣିଲି ଶ୍ରବଣେ ।

କହିଲେ ମା ଜଗଦମ୍ବା ପତିତପାବନୀ,

“ପତିତା ହେଲେହେଁ ନାରୀ ମୋହରି ତନୟା,

ଉଦ୍ଧାରିବି ତାକୁ କ୍ଷଣେ ଦେଇ ମୁକ୍ତି ମଣି,

ମୋ କନ୍ୟା। ମୋହରି ହେବ, ଲଭି ମୋର ଦୟା

ସତୀତ୍ୱ, ଦେବୀତ୍ଵ ତାର ଲଲାଟେ ଲିଖିତ

କେ ତାକୁ ସେଥିରୁ ବିଶ୍ଵେ କରିବ ବଞ୍ଚିତ ?”

Image

 

ଭବଭୂତି

 

“କାଳ ସିନ୍ଧୁ ନିରବଧି, ଜଗତ ବିପୁଳ

ଜନମିବେ କିମ୍ବା’ଛନ୍ତି ସମଧର୍ମା ମମ ।”

ମୂଢ଼ଜନ-ଅବଜ୍ଞାରେ ନ ହୋଇ ଆକୁଳ,

କହିଥିଲ ଦିନେ ବାଣୀ, କବି କୁଳୋତ୍ତମ

ଭବଭୂତି, ଭାବମୟୀ-ଭାରତୀ-ତନୟ

ନିରେଖି ଅନ୍ତରତମ ହୃଦୟ-ଭବନ ।

ଅକ୍ଷରେ ଅକ୍ଷରେ ତବ ବାକ୍ୟ ସୁଧାମୟ

ପବିତ୍ର ବିଶ୍ଵାସପୂର୍ଣ୍ଣ ଅଭୟ ବଚନ ।

ହେ ଶ୍ରୀକଣ୍ଠ, ସେହି ବାକ୍ୟ ତବ ଶ୍ରୀ କଣ୍ଠର,

ସାରସ୍ଵତ ସାରେ ପୂର୍ଣ୍ଣ ତୋଜୋବୀର୍ଯ୍ୟମୟ,

ଯୁଗେ ଯୁଗେ ଝଙ୍କାରିଣ ହୃଦୟ କନ୍ଦର,

ଜଗତେ ପ୍ରଚାରୁ ଥିବ ଅମୃତ ଅଭୟ ।

ଉଦାର ଗମ୍ଭୀର ପ୍ରେମ-କରୁଣାର କବି,

ଧନ୍ୟ ତବ ନିରୁପମ ନରନାରୀ-ଛବି ।

Image

 

ନରନାରୀ

(୧)

କଠୋର ପରୁଷ ରୁଦ୍ର ପୁରୁଷ ପରାଣ,

କୋମଳ ଲଳିତସ୍ନିଗ୍ଧ ଲଳନା-ହୃଦୟ,

ଦାମ୍ଭିକ ତେଜସ୍ଵୀ ନର କୁଳିଶରୁ ଟାଣ,

ନାରୀ ସୁକୁମାରୀ, ଜିଣି ନବ କିଶଳୟ ।

ପରସ୍ପର ବିପରୀତେ ଛନ୍ଦି ପରସ୍ପରେ,

ପ୍ରେମ-ହେମ-ହାରେ ବାନ୍ଧି ଅର୍ଦ୍ଧାଙ୍ଗ-ଯୁଗଳେ,

ପୂର୍ଣାଙ୍ଗ ମାନବ-ସୃଷ୍ଟି ବିହି ଜଗତରେ,

ପୂର୍ଣ୍ଣତା-ସାଧକ ମହା-ମିଳନ-ମଙ୍ଗଳେ,

କି ଅଭୁତ ରହସ୍ୟର ମହୀୟସୀ ଲୀଳା

ଦେଖାଉଛ ପରାତ୍ପର ପ୍ରଭୁ ପ୍ରଜାପତି !

ମହୀ-ମହନୀୟ ମୂର୍ତ୍ତି ମନୁଜ-ମହିଳା,

ହର-ଗୌରୀ, ଭାବ ସଙ୍ଗେ ମିଳିତା ଭାରତୀ ।

ଧନ୍ୟ ଧନ୍ୟ ପ୍ରଜା-ପତି ଧନ୍ୟ ଆଦି-କବି

ଧନ୍ୟ ତବ ନର ନାରୀ ମିଳନର ଛବି ।

Image

 

ନର ନାରୀ

(୨)

ନରର ସଙ୍ଗିନୀ ନାରୀ, ନାରୀ-ସଖା ନର,

ବେନି-ହୃଦ-ବିନିମୟେ ଦୁହେଁ ମିଳି ଏକ ।

ଏକର ଅଭାବ ପୂର୍ଣ୍ଣ କରଇ ଅପର,

ଶୁଭ ଲଗ୍ନେ ଉଭୟର ଶୁଭ ଅଭିଷେକ ।

ପରସ୍ପର-ପାଶେ ରହି ବିଶ୍ଵ ପରିବାରେ,

ଜ୍ଞାନ-ପ୍ରେମ-କର୍ମ ଯୋଗେ ଲଭିଣ ଏକତା,

ନର ନାରୀ ସତ୍ୟ-ଶିବ-ସୁନ୍ଦର-ସେବାରେ

ଦେଖାଇବେ ଜୀବନର ପୂର୍ଣ୍ଣ ସାର୍ଥକତା ।

ପୁରୁଷ ଆକାଶ, ନାରୀ ଧରିତ୍ରୀ ସୁନ୍ଦରୀ

ନର ସ୍ଵଛ ସରୋବର, ଅଙ୍ଗନା ନଳିନୀ

ପୁରୁଷ ନିକଷ, ନାରୀ ହେମ-ରେଖା ସରି

ନର ନୀର-ଧର, ନାରୀ ଚାରୁ ସୌଦାମିନୀ ।

ପରସ୍ପର ପରିଣୀତ ପ୍ରାଣ-ସଂପ୍ରଦାନେ,

ବିଶ୍ଵ-ପୁରୋହିତ ପୂର୍ଣ୍ଣ ବିଧିର ବିଧାନେ ।

Image

 

ପରମ ପ୍ରମାଣ

(୧)

ହେ ଧୀମନ୍ତ ବୁଧକୁଳ ! ଲୋଡ଼ୁଅଛ ଧ୍ୟାନେ,

କେମନ୍ତେ ଯୁକତି-ସେତୁ ନିର୍ମି ସୁକୌଶଳେ,

ନାଶି ଦୃଶ୍ୟ-ଅଦୃଶ୍ୟର ମହା ବ୍ୟବଧାନେ

ଚକିତ କରିବ ସର୍ବ ଧରଣୀ ମଣ୍ଡଳେ ।

ହେ ପଣ୍ଡିତ ! କ୍ଷୁଦ୍ର ତବ ବୁଦ୍ଧି ମାନ-ଦଣ୍ଡେ

ବିଚାରୁଛ, ମାପିବ ହେ ଅନନ୍ତ ଅପାରେ;

ତୀକ୍ଷ୍‍ଣ ତର୍କ-କ୍ଷୁର-ଧାରେ ଖଣ୍ଡିଣ ଅଖଣ୍ଡେ

ମାତିବ ହେ ଜୟୋଲ୍ଲାସେ ବୌଦ୍ଧ ଅହଙ୍କାରେ ।

ସେ ମଦାନ୍ଧ, ସେ ଅସିଦ୍ଧ ଅହଙ୍କାର ବଳେ

ସାଧିବ ହେ ସ୍ଵତଃ ସିଦ୍ଧେ-ଅସାଧ୍ୟ ସାଧନା,

ଦାରୁରେ ଦହିବ ଦାରୁ-ଦହନ ଅନଳେ,

ନୁହେଁ କିଏ ବାତୁଳର ନିର୍ବୋଧ ଭାବନା ?

ପରମ ପ୍ରମାଣ ଯେହୁ ସର୍ବ ପ୍ରମାଣର,

ନିଜର ପ୍ରମାଣ ନିଜେ, ନାହିଁ ତଦିତର ।

Image

 

ପରମ ପ୍ରମାଣ

(୨)

କ୍ଷୁଦ୍ର ପରିମିତ ଯାହା, ଦୂରେ ସ୍ଥିତ ଯାହା

ବାହାରେ ଅଛଇ ଯାହା, ଦେଶ-କାଳାଶ୍ରିତ,

ତାହାରି ପ୍ରମାଣ ସିନା ଲୋଡ଼ିବା ବିହିତ,

ବୁଦ୍ଧିର ଆଲେକେ ଅନୁସରି ଯୁକ୍ତି-ରାହା ।

କ୍ଷୁଦ୍ର ବିଷୟର ଭୋଗେ ଅତୃପ୍ତ ଏକାନ୍ତ

ବିଧୁର ପରାଣ କାନ୍ଦେ ବିଚ୍ଛେଦ ଯାହାର,

ସତ୍ୟରୁପ ସେ ଅନନ୍ତ, ନାଶି ମୋହ ଧ୍ଵାନ୍ତ

ଅନ୍ତରେ ଅନ୍ତରତମ ଛନ୍ତି ମୂଳାଧାର ।

ଶାସ୍ତ୍ର-ଯୁକ୍ତି-ପ୍ରମାଣର ଅତୀତ, ଅଗାଧ,

ସେ ଅନ୍ତରତମ; ବୁଡ଼ି ଯାଅ ସେ ଅତଳେ ।

ଦୂରେ ଫିଙ୍ଗି ଅଭିମାନ ପ୍ରମାଣ-ପ୍ରମାଦ,

ପଡ଼ ଆସି ସେ ଅନନ୍ତ-ପାଦ-ପଦ୍ମ-ତଳେ ।

ହେ ଚତୁର ସୁଧୀ ! ଛାଡ଼ି ବିଚାର ଚାତୁରୀ

ଭୁଞ୍ଜ ମହାନନ୍ଦେ ମହା ବିଶ୍ଵାସ-ମାଧୁରୀ ।

Image

 

ବସନ୍ତ ପୂର୍ଣ୍ଣିମା-ଅର୍ଦ୍ଧରାତ୍ର

 

ଶୁଭ୍ରସ୍ଵଚ୍ଛ ହାସ୍ୟମୟୀ ହେ ମଧୁ-ପୂର୍ଣ୍ଣିମା

କି ରହସ୍ୟମୟ ତବ ସୌନ୍ଦର୍ଯ୍ୟ-ମହିମା !

ଅମଳ ତରଳ ଢଳଢଳ ବିମୋହନ

ଜ୍ୟାସ୍ନାର ଅମୃତ ସ୍ରୋତେ ପ୍ଳାବି ତ୍ରିଭୁବନ

ବିରାଜୁଛ, ବରାଭୟ-ଦାୟିନ କମଳେ !

ବିସ୍ମୟେ ସ୍ତବଧ ବିଶ୍ଵ ବନ୍ଦେ ପଦତଳେ ।

ମୁଗ୍ଧନେତ୍ରେ ଊର୍ଦ୍ଧ୍ଵମୁଖେ ଚକୋର-ସମାନ

ତୋଳାବଣ୍ୟ-ସୁଧ ଧାରା କରଇ ମୁଁ ପାନ ।

ଅନନ୍ତ ଅଗାଧ ତୋର ଜ୍ୟୋସ୍ନା-ସିନ୍ଧୁ-ଜଳେ

ନିମଗନ ମୋ ପରାଣ ମହୋତ୍ସବଭୋଳେ ।

ବୀଣାପାଣି ବାଣୀ-ରୂପେ ନୀରବେ ବିମାନେ

ବିରାଜି ଗାଉଛ ଦେବି ଯେଉଁ ଶାନ୍ତି-ଗାନେ,

ସର୍ବ ଦୁଃଖ ଭୟ ହର ସେ ଗୀତା-ଉଚ୍ଛ୍ୱାସ-

ଶ୍ରବଣେ ଲଭଇ ବିଶ୍ଵ, ଅଭୟ-ଆଶ୍ଵାସ

Image

 

ଏକାମ୍ରକାନନ (ଭୁବନେଶ୍ୱର)

(୧)

ଏହି କି ଭୁବନେଶ୍ଵର ଭୁବନ-ବିଦିତ

ଏକାମ୍ରକାନନ-ତୀର୍ଥ ପୁରାଣ-କୀର୍ତ୍ତିତ?

ଦେବପ୍ରିୟ ପ୍ରିୟଦର୍ଶୀ ଅଶୋକ-ବନ୍ଦିତା

ବୌଦ୍ଧଧର୍ମ ରଙ୍ଗଭୂମି, ଉଲ୍ଲାସେ ଉଥିତା

ସମୁଦ୍ର-ମନ୍ଥନେ ଯଥା ଇନ୍ଦିରା ସୁନ୍ଦରୀ,

ଏହି କି ସେ ମହାପୁଣ୍ୟମୟୀ ତୀର୍ଥେଶ୍ଵରୀ ?

ମର୍ତ୍ତ୍ୟଧାମେ ବୈଜୟନ୍ତସମ ବିରାଜିତ

ଏହି କି ସେ ରାଜଧାନୀ ରାଜଶ୍ରୀମଣ୍ଡିତ

ବିପୁଳ ଗୌରବମୟ କେଶରୀ ବଂଶର,

ବିକ୍ରମ ବିଭବ ବୀର୍ଯ୍ୟ ବିଳାସେ ଭାସ୍ଵର

ରୂପଋଦ୍ଧି ପରିପୂର୍ଣ୍ଣ ଶିଳ୍ପ-ରତ୍ନାକର,

ଲଲାଟେନ୍ଦୁ-ରାଜଧାନୀ ପବିତ୍ର ସୁନ୍ଦର ?

ମୟ-ବିରଚିତେ ମାୟା-ନଗରୀ-ସମାନ

ଏହି ସେ ଉତ୍କଳର ଗୌରବ-ନିଧାନ ।

Image

 

ଏକାମ୍ରକାନନ (ଭୁବନେଶ୍ଵର)

(୨)

ଆଜି ଏହି ଖଣ୍ଡଗିରି ଶିଖରେ ନିର୍ଜନେ

ଦେଖଇ ମୁଁ କଳ୍ପନାର ବିମୁଗ୍ଧ ନୟନେ ,

ଦିଗନ୍ତ-ବିସ୍ତାରି ସେହି ଏକାମ୍ରକାନନ,

ଯୁଗଯୁଗାନ୍ତର ସ୍ମୃତି-ଜଡ଼ିତ ଭୁବନ,

ସ୍ଵର୍ଗ ପାରିଜାତ ପ୍ରାୟେ ଅମଳ ଉଦାର,

ଧର୍ମେ ପ୍ରେମେ କର୍ମେ ଭାବେ ସଜ୍ଜୀବସ ସାର,

ତପସ୍ୟା-ଗମ୍ଭୀର ଗୁମ୍ଫା-ଗୁମ୍ପିତ ଭୂଧର,

ପ୍ରଶାନ୍ତ ସମାଧିକ୍ଷେତ୍ର ଯୋଗୀ ଜନକଙ୍କର,

ନରଶ୍ଚୁମୀ ଶତଶତ ତୁଙ୍ଗ ଦେବାଳୟ

ମହାପୁଣ୍ୟ-ମହିମାରେ ଶୁଭ୍ର ତେଜୋମୟ,

ତଥିମଧ୍ୟେ ରାଜଧାନୀ କ୍ଷତ୍ତ୍ର ମହିମାର,

ଉତ୍ସବ-ଉଲ୍ଲାସେ ପୂର୍ଣ୍ଣ ପ୍ରଜା-ପରିବାର

କି ଉଦାର କି ମନୋଜ୍ଞ ପୁରାଣ ମହିମା

ପ୍ରକାଶେ କଳ୍ପନା ଆଜି କି ପୂଣ୍ୟ ପ୍ରତିମା

Image

 

ଏକାମ୍ରକାନନ (ଭୁବନେଶ୍ଵର)

(୩)

ହେ କଳ୍ପନେ, କେତେକ୍ଷଣ ସେ ପୂର୍ବ ଗୌରବ,

ଦେଖଇବୁ ସେ ସୁଷମା, ସେ ତେଜ ବିଭବ ?

କ୍ଷଣକେ ଗଲାଣି ଅପସରି ତୋ କୁହକ,

କି ଦେଖଇଁ ନ ପଡୁଣୁ ନୟନ-ପଲକ ?

ସମ୍ମୁଖରେ ଧ୍ଵଂସ ସ୍ତୁପ, ଭଗ୍ନ ଦେବାଳୟ ;

ମାନବ-କୀର୍ତ୍ତିର ଆହା କି ଘୋର ପ୍ରଳୟ

ଜୀର୍ଣ୍ଣ ସୌଧାରଣ୍ୟ ତରୁ-ଗୁଳ୍ମ-ବିଜଡ଼ିତ,

ନର ନାରୀ, କ୍ଷୁଦ୍ର-ନୀଚ-ସ୍ୱାର୍ଥ-କଳୁଷିତ ।

ଚୌଦିଗେ ସମସ୍ତ ଆହା ମ୍ଳାନ ମ୍ରିୟମାଣ

ଦେଖଇଁ କେବଳ ପୂର୍ବ ସୁଷମା-ଶ୍ମଶାନ ।

ଏ ପ୍ରଳୟ କାଣ ମଧ୍ୟେ ହେ ଏକାମ୍ରବନ

ବିଷାଦସାଗରେ ମୋର ପରାଣ ମଗନ,

ମାଗଇ କାତରେ ବିଭୁ-ପାଦ-ପଦ୍ମତଳେ,

ହେ ଭୂମା ଭୁବନେଶ୍ଵର ଉଦ୍ଧାର ଉତ୍କଳେ ।”

Image